Unknown

 

 

 

 

 

 

 

 

 

 

ହିମାଚଳେ ଉଦୟ-ଉତ୍ସବ

ମଧୁସୂଦନ ରାଓ

 

ସଫଳ ହୋଇଲା ଆଜି ବ୍ୟାକୁଳ ବାସନା,

ଯାମିନୀର ଶେଷ ଯାମେ ଜାଗିଲା ଚେତନା ।

ପ୍ରାଚୀ ଚକ୍ରବାଳେ ସୂକ୍ଷ୍ମ ପ୍ରଭାର ପ୍ରକାଶ

ସେ ବ୍ରାହ୍ମ ମୁହୂର୍ତ୍ତେ ବକ୍ଷେ ଧରିଲା ଆକାଶ ।

ସେ ଉଦାର ସୂକ୍ଷ୍ମଜ୍ୟୋତି ସଞ୍ଚରିଲା ଚାଣ୍ଡେ

ଊର୍ଦ୍ଧ୍ୱଲୋକେ ନୀଳକାନ୍ତ ଗଗନର ଦାଣ୍ଡେ ।

ମୁକ୍ତାର ପାଣ୍ଡୁର ଛଟା କି ଦିବ୍ୟ ଛଟକେ 

ଭେଦି ଦିଗ୍‍ବଳୟ-ରେଖା ଦ୍ୟୁଲୋକ ଝଟକେ ।

ଉଠି ଯେହ୍ନେ ହୀରକର ସୋପାନେ ସୋପାନେ

ହସ ହସ ମୁଖେ ଉଷା ଉଇଁଲେ ବିମାନେ ।

ଏ ଅମୃତ ଲଗ୍ନେ ଉଭା ହୋଇ ଗିରି-କକ୍ଷେ

ଉଦୟ-ଉତ୍ସବ ଲୀଳା ଦେଖିଲି ପ୍ରତ୍ୟକ୍ଷେ ।

ଏବେ ଦ୍ୟାବା-ପୃଥିବୀର ପରିଣୟୋତ୍ସବ

ଚିର ପୁରାତନ ପୁଣି ନିତ୍ୟ ନବ ନବ ।

ଜ୍ୟୋତିର ପରମାଶ୍ଚର୍ଯ୍ୟ ଲୀଳାର ବିଳାସେ

ଲାବଣ୍ୟର ଇନ୍ଦ୍ରଜାଲ ପ୍ରକଟେ ଆକାଶେ ।

ଚାରିଆଡ଼େ କେତେ ପାଦଶୈଳ ଟେକି ଶିର

କି ପୁଣ୍ୟ ପ୍ରତୀକ୍ଷା-ଭରେ ନିସ୍ତବଧ ସ୍ଥିର !

ମହା ମହିମାରେ ସେଥି ମଧ୍ୟେ ସର୍ବୋପରି

ଉତ୍ତରେ କାଞ୍ଚନଜଙ୍ଗା ଶୁଭ୍ର ମୂର୍ତ୍ତି ଧରି

ହିମଗୌର ପଞ୍ଚଶୃଙ୍ଗେ ଭେଦି ମହାକାଶ

ପାବନ ପଞ୍ଚାଗ୍ନି ବ୍ରତ ଅଙ୍ଗିରା-ସଙ୍କାଶ

ମହା ପ୍ରକୃତିର ମହା ପୁରୋହିତ ବେଶେ

ରାଜଇ ଶାଶ୍ୱତ ଶ୍ୱେତ ହିମାନୀ-ପ୍ରଦେଶେ ।

ସହସା ରହସ୍ୟମୟ ମହାମହୋଲ୍ଲାସେ

ସେ ଜ୍ୟୋତି ଉଠିଲା ଜଳି ପରାଚୀ ଆକାଶେ,

ପଶ୍ଚିମର ଦୂରତମ ଅତଳ ପାତାଳେ

ଘଉଡ଼ାଇ ଶର୍ବରୀର ଘନ ତମୋଜାଲେ ।

ଗିରିର ସ୍ଫଟିକ-ଗୌର ଯଜ୍ଞ-ବେଦି ପରେ

ଜଳି ଉଠିଲା କି ଅଗ୍ନି ନଭୋମଣ୍ଡଳରେ !

ସେ ଜ୍ୟୋତି ପରଶେ ଆହା ସେ ପରମ କ୍ଷଣେ

ଧବଳ ତୁଷାରମୟ ସେ ଊର୍ଦ୍ଧ୍ୱ ଭୁବନେ

ଅରୁଣ କିରଣ ସ୍ପର୍ଶେ ଶୁକ୍ଳ ଶତଦଳ,

ଅବା ଭକ୍ତିଯୋଗେ ଭକ୍ତ-ପ୍ରାଣ ସୁବିମଳ,

ଯେସନ ଉଠଇ ଫୁଟି ମହାପୁଲକରେ

ତେସନ ସେ ନୀଳକାନ୍ତ ଗଗନ-ସାଗରେ

କି ଦିବ୍ୟ ବିବର୍ତ୍ତେ ଆହା କି ପରମୋଲ୍ଲାସେ,

ଚିନ୍ମୟ ଶୋଭାର ଯେହ୍ନେ ଉତ୍ସବ-ଉଚ୍ଛ୍ୱାସେ

ପାଷାଣ ହିମାଦ୍ରି ଗୌର କାନ୍ତିରେ ଭାସ୍ୱର

ବିକଶି ଉଠିଲା ପୁଣ୍ୟତେଜେ ଗୌରତର ।

ଚାହୁଁ ଚାହୁଁ ଅରୁଣିତ ଉଦୟାଦ୍ରି ତଟେ

ବିରାଜି ରାଜୀବ-ରୁଚି ମୟୂଖ ପ୍ରକଟେ ।

ନିଃଶେଷରେ ନୈଶତମଃ ବିନାଶି ସତ୍ୱରେ

ରବି ଅବତୀର୍ଣ୍ଣ ପ୍ରାଚୀ-ଆଶା-ଆକାଶରେ ।

ଅରୁଣ କିରଣରୂପ ଅତୁଲ୍ୟ ତୂଳୀରେ

ଉନ୍ମୀଳିଲା ମହାଚିତ୍ର ନଗେନ୍ଦ୍ରମୌଳିରେ ।

ଇନ୍ଦ୍ରନୀଳେ ପଦ୍ମରାଗ-ପରାଗ ମିଶାଇ

ଅବା ପଦ୍ମେ ଇନ୍ଦୀବର-ରୁଚିକୁ ରସାଇ

କିମ୍ବା କିଶଳୟ ରୁଚି ରସାଣି ସିନ୍ଦୂରେ

ରଞ୍ଜିଲା ଗିରୀନ୍ଦ୍ରଶିର ମହାପ୍ରଭା-ପୁରେ ।

ସହସା ଉଛୁଳି ଦିବ୍ୟ ସୁଷମା-ତରଙ୍ଗେ

ସେ ପ୍ରଭା-ପ୍ରବାହ ବେଗେ ବୁଡ଼ାଇଲା ରଙ୍ଗେ

ଉଷାର ମୁକ୍ତାଭଜ୍ୟୋତି-ବିମ୍ବିତ ରୁଚିରେ

ହିମ୍ରାଦିର ସ୍ଫଟିକାଭ ବିଶାଳ ଶରୀରେ ।

ପୁଣି କି ରହସ୍ୟମୟ ବିପୁଳ ପୁଲକେ

ସେ ନଗେନ୍ଦ୍ର କ୍ଷଣେ ଅବଲୋକି ଊର୍ଦ୍ଧ୍ୱଲୋକେ

ଥରି ଉଠିଲାକ ଯେହ୍ନେ ମହାପ୍ରେମାବେଶେ

ସାଶୀର୍ବାଦ ଭାନୁ-ଚୁମ୍ବ ଲଭି ଭାଲ-ଦେଶେ ?

ପୁଣି ଚାହୁଁ ଚାହୁଁ ପରିବର୍ତ୍ତ ଅଭିନବ

ଦେଖ ଦେଖ କି ଅଦ୍ଭୁତ ଜ୍ୟୋତିର ବିଭବ ।

ତପତ କାଞ୍ଚନ କରେ କାଞ୍ଚନଜଙ୍ଗାର

ଧବଳ ଶିଖର-ଚୟ ଦିଶେ ମହୋଦାର ।

ସେହି ପାଟଳିମା କାହିଁ ଗଲା ସ୍ୱପ୍ନପ୍ରାୟେ

ସୁବର୍ଣ୍ଣ-ଲହରୀ ମାଡ଼ି ଗଲା ଗିରିକାୟେ ।

ଉଚ୍ଛ୍ୱସି ଉଠିଲା ଗିରି-ବକ୍ଷ ଆନନ୍ଦରେ,

କ୍ରମେ ଓହ୍ଲାଇଲା ଜ୍ୟୋତି ଭୂଧରେ ଭୂଧରେ ।

ପୂରୁବେ ଦକ୍ଷିଣେ ପୁଣି ପଶ୍ଚିମେ ଉତ୍ତରେ

ଶତ ଶତ କ୍ରୋଶବ୍ୟାପୀ ଶତ ମହୀଧରେ ।

କନକ କିରଣାସାରେ ସ୍ନାତ କଳେବର

ପିନ୍ଧିଲେ ଧବଳ ମେଘ ପବିତ୍ର ଅମ୍ବର,

ଚଉତାଇ ରଖିଥିଲେ ଯାହା ଯତନରେ

ପାର୍ବତୀ ପ୍ରକୃତି ଦେବୀ ନିଜ ଗନ୍ତାଘରେ ।

ଏହିପରି ସୁଶୋଭିତ ହୋଇ ଶୁକ୍ଳାମ୍ୱରେ

ନମିଲେ ଭାସ୍କର-ପଦେ ସକଳ ଭୂଧରେ ।

ଦେଖି ଏହି ମହାଭୂତ ଉଦୟ-ଉତ୍ସବ

ଜ୍ୟୋତିର ପରମାଶ୍ଚର୍ଯ୍ୟ ଶୋଭାର ବିଭବ,

ଏ ଦେହର ଅଙ୍ଗେ ଅଙ୍ଗେ ପ୍ରତିଲୋମକୂପେ

ସଞ୍ଚରିଲା ନବପ୍ରାଣ ମହାହର୍ଷ-ରୂପେ,

ସେହି ପ୍ରାଣ ଅପରୂପ ତାଳ ମାନ ଲୟେ

ସହସା ଉଠିଲା ନାଚି ମହାଭାବୋଦୟେ ।

ଅହେତୁକ ଅମାୟିକ ମହାପ୍ରେମଭରେ

ପାର୍ବତୀ ପ୍ରକୃତି ସଙ୍ଗେ ମାହେନ୍ଦ୍ର ଯୋଗରେ

ଏ ଜୀବନ ଗଲା ମିଶି ଅପୂର୍ବ ମିଳନେ

ନିବିଡ଼ ପ୍ରେମର ନବ ବିବାହ-ବନ୍ଧନେ ।

ଏ ଅକୂଳ ହୃଦସିନ୍ଧୁ ଆକୁଳ ତରଙ୍ଗେ

ହିରଣ୍ମୟୀ ଶରଣ୍ମୟୀ ପ୍ରକୃତିର ସଙ୍ଗେ

ସଙ୍ଗତ ମଙ୍ଗଳଲଗ୍ନେ ସେ ମହାସଙ୍ଗମେ

ସେ ପରମ, ତୀର୍ଥେ ଯହିଁ ମରମେ ମରମେ

ଜଡ଼ଜୀବ ସମ୍ମିଳିତ ଅଚ୍ଛେଦ୍ୟ ବନ୍ଧନେ

ବିଶ୍ୱନାଡ଼ି-ମୂଳାଧାର ଅନାଦି-ଚରଣେ,

ମୋ ପ୍ରାଣ ବିଲୀନ ହେଲା ପ୍ରକୃତିର ପ୍ରାଣେ,

ପକୃତିର ପ୍ରାଣ ଉଚ୍ଛ୍ୱସିତ ମୋ ପରାଣେ,

ଦୁହେଁ ମିଶି କି ଅଦ୍ଭୁତ ଦିବ୍ୟ-ପରିଣୟେ

ପରିଣତ ସ୍ୱୟମ୍ବରା କୁମାରୀ-ହୃଦୟେ ।

ଶତ ଶତ ଶରତର ଶୁଭ୍ର ଶତଦଳେ

ଗ୍ରଥିତ  ଯେ ବରମାଲ୍ୟ ହୃଦୟ-ଯୁଗଳେ,

ସେହି ବରମାଲ୍ୟ ଘେନି ଯୁଗଳ ହୃଦୟ,

ମୃଣ୍ମୟର ତିରୋଧାନେ ନିଃଶେଷେ ଚିନ୍ମୟ,

ଦ୍ୱୈତ-ଅଦ୍ୱୈତର ଅନୁଭବ ମହୋତ୍ସବେ,

ପବିତ୍ରିତ ଜୀବନର ଅପୂର୍ବ ଗୌରବେ,

ଉଦାର ଗମ୍ଭୀର ସ୍ତବ୍ଧ ମୁଗ୍ଧ ପ୍ରେମାବେଶେ

ଅନାଇଲା ପରାତ୍ପର ପତି ପରମେଶେ,

ଅନାଇ ରହିଛି ମହାବ୍ୟୋମେ ଯଥା ସତୀ

ସାଗର-ଅମ୍ବରା ମହାଦେବୀ ବସୁମତୀ,

କିରଣ-କିରୀଟୀ ରବି-ବିମ୍ବେ କିମ୍ବା ଯଥା

ଅନାଏ ପଦ୍ମିନୀ ପଦ୍ମମୟୀ ଟେକି ମଥା ।

ପ୍ରକୃତି-ସଙ୍ଗତେ ମିଳି ଯହୁଁ ଏହି ପ୍ରାଣ

ଅନୁଭବି କି ଅଦ୍ଭୁତ ଅମୃତ ଆହ୍ୱାନ

ଅନାଇଲା ପ୍ରେମନେତ୍ରେ, ସେ ପ୍ରେମ-ନିଧାନ

ସେ ଅନ୍ତରତମ ସଖା ନିଖିଳ-ନିଦାନ

ଅନନ୍ତ ପ୍ରେମରେ ମଗ୍ଧ ସ୍ନିଗ୍ଧ ଆକର୍ଷଣେ

ଅଲକ୍ଷିତେ ପାଶେ ପ୍ରାଣ ଟାଣିନେଲେ କ୍ଷଣେ 

ରୋମାଞ୍ଚେ ପୂରିଲା ତନୁ, ପୁଲକେ ପରାଣ ।

ମର୍ମରି ଉଠିଲା ମର୍ମ-ଭେଦୀ ସ୍ତବଗାନ 

ଉତ୍ସପ୍ରାୟେ ଉତ୍ସାରିତ ବିଦାରି ପାଷାଣ

ନୃତ୍ୟଗୀତ କଲ୍ଲୋଳିତ ନିତ୍ୟବହମାନ ।

ବୋଇଲି, ହେ ପ୍ରାଣସ୍ୱାମି, ଆହେ ଅନୁପମ,

ଧନ୍ୟ ହେଲା ଆଜି ଏ ଅଧମ ପ୍ରାଣ ମମ ।

ଅନନ୍ତ ଅପାର ତବ ପ୍ରାଣେ ପ୍ରାଣ-ରାଣ

ମିଳିଛି ନିଭୃତେ ଆଜି ଏ ମୋର ପରାଣ ।

ଅନନ୍ତ ସଙ୍ଗତେ ମୋର ଅନନ୍ତ ମିଳନ,

ମର୍ମେ ମର୍ମେ ପୁଲକିତ ସର୍ବଦେହ ମନ ।

କି ଅପୂର୍ବ କି ରହସ୍ୟମୟ ପରଶରେ

ଭରୁଅଛି ସର୍ବପ୍ରାଣ ମହାହରଷରେ ।

କି ନନ୍ଦନ-ଗନ୍ଧ ପ୍ରାଣ–ନିକୁଞ୍ଜ ନିବାସେ

ସ୍ଫୁରୁଅଛି ଋତୁରାଜ ବସନ୍ତ ଉଚ୍ଛ୍ୱାସେ ।

ହେ ଅନାଦି ହେ ଅନନ୍ତ ରସ–ପ୍ରସ୍ରବଣ,

ମୋର ଆଦି ଅନ୍ତ ରସେ  ରସେ ନିମଗନ ।

ଆଜି ମୋର ନେତ୍ରୋତ୍ସବ, ଶ୍ରୀନେତ୍ରେ ତୁମ୍ଭର

ନିମଗନ ମୁଗ୍ଧ ଦୃଷ୍ଟି ଏ ମୋ ନୟନର ।

ଦେଖଇ ଏ ପ୍ରଭାତର ଦ୍ୟୁଲୋକେ ଭୂଲୋକେ

ପୂର୍ଣ୍ଣ ଏ ନିଖିଳ ତବ ଆଲୋକେ ଆଲୋକେ ।

ଦଶଦିଗେ ବିରାଜିତ ମହାସ୍ୱର୍ଗପୁରୀ,

ଦଶଦିଗେ ପ୍ରକାଶିତ ବିବାହ-ମାଧୁରୀ !

ସତୀତ୍ୱ-ବିଭବେ ପୁଣି ସତୀତ୍ୱ-ଗୌରବେ

ଧନ୍ୟ ମୋ ଜୀବନ ତବ ଜୟ-ଅନୁଭବେ ।

ଏ ନିଖିଳ ବିଶ୍ୱ ଆଜ ନିଜସ୍ୱ ମୋହର,

ଏ ବିଚିତ୍ର ଏ ସୁକାନ୍ତ ଧରଣୀ-ଅମ୍ବର ।

ଆଜି ମୋ ଶ୍ରବଣୋତ୍ସବ, ଏ ପ୍ରାଣ-କନ୍ଦରେ

କି ଅମୃତରାଗିଣୀରେ କି ମହାଛନ୍ଦରେ

ଏ ପ୍ରାଣ-ବୀଣାରେ ତବ ଶ୍ରୀକର-ପରଶେ

ଗାୟତ୍ରୀ ଓଁକାରମୟୀ ଧ୍ୱନିତ ରଭସେ ।

ବଂଶୀଧ୍ୱନି ଶୁଣୁଛି ମୁଁ ପ୍ରାଣର ଶ୍ରୀହରି,

‘‘ମୋହରି ମୋ ହରି ତୁହି, ମୋହରି ମୋ ହରି ।’’

ଅଣୁରେ ଅଣୁରେ, ନାଥ, ଏ ମହାବିଶ୍ୱର

ବାଜୁଅଛି ଅନାହତ ବୀଣା ବଂଶୀସ୍ୱର ।

ପ୍ରାଣେ ପ୍ରତିଧ୍ୱନି ତାର ଉଠୁଛି ସଞ୍ଚରି

‘‘ମୋହରି ମୋ ହରି ତୁହି, ମୋହରି ମୋ ହରି ।’’

କି ଆଉ କହିବି ବିଶ୍ୱଦେବ ପ୍ରାଣଧବ,

ନିତ୍ୟ ଲାଗିଥାଉ ଏହି ମହାମହୋତ୍ସବ ।

ମୋର ଆଶା-ଆକାଙ୍‍କ୍ଷାର ଅତଳ ବିତଳ

ତବ ସତ୍ତ୍ୱ-ରସେ ପୂର୍ଣ୍ଣ, ସାର୍ଥକ, ସଫଳ ।

ହେଉ ସଦା ସତୀତ୍ୱର ପରମ ବିଶ୍ୱାସେ

ଦିବ୍ୟଜ୍ଞାନ-ଶୁଦ୍ଧପ୍ରୀତି-ପୁଣ୍ୟର ବିଳାସେ ।

କାଳର ଆରମ୍ଭ ଆଗୁଁ ହେ ପରମବର,

ବରିଅଛ ଅକିଞ୍ଚନ ଏ ପ୍ରାଣ ମୋହର ।

ପରମ ବରେଣ୍ୟ, ଏବେ ଏ କ୍ଷୁଦ୍ର ଜୀବନ

ପରମ ଶ୍ରୀପଦ ତବ ବରୁ ଅନୁକ୍ଷଣ ।

Image